ସ୍କିନ୍ ଟୁ ସ୍କିନ୍ ଟଚ୍ ଜରୁରୀ ବୋଲି ରାୟ ଦେଇଥିବା ବିଚାରପତିଙ୍କୁ ଶକ୍ତ ଝଟ୍କା

ବମ୍ବେ ହାଇକୋର୍ଟର ଅସ୍ଥାୟୀ ବିଚାରପତି ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲାଙ୍କ ପଦୋନ୍ନତି ଆବେଦନ ଖାରଜ । ପୋକ୍ସୋ ଆକ୍ଟରେ ଯୌନ ଶୋଷଣ ମାମଲା ପାଇଁ ସ୍କିନ୍ ଟୁ ସ୍କିନ୍ ଟଚ୍ ଜରୁରୀ ବୋଲି ରାୟ ଦେଇଥିବା ବିଚାରପତିଙ୍କୁ ଶକ୍ତ ଝଟ୍କା । ଏବେ ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲା ବମ୍ବେ ହାଇକୋର୍ଟରେ ସ୍ଥାୟୀ ବିଚାରପତି ହୋଇପାରିବେ ନାହିଁ । ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ନିଷ୍ପତ୍ତି ପରେ ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲାଙ୍କ ହାଇକୋର୍ଟରେ କାର୍ଯ୍ୟସମୟ ସରିଯିବା ପରେ ପୁନର୍ବାର ଜିଲ୍ଲା ଜଜ୍ ପଦକୁ ସେ ଫେରିଯିବେ ।
ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲାଙ୍କ ପାଇଁ ଅଧିକ ଅଭିଜ୍ଞତା ଆବଶ୍ୟକ ବୋଲି ସୁପ୍ରିମକୋର୍ଟଙ୍କ କଲେଜିୟମ କହିଛି । ଏଥିରେ କୁହାଯାଇଛି ଯେ, ତାଙ୍କ ସହ କୌଣସି ବ୍ୟକ୍ତିଗତ ମତଭେଦ ନାହିଁ । ତେବେ ତାଙ୍କୁ ଆହୁରୀ ଅଭିଜ୍ଞ ଏବଂ ପରିପକ୍ୱ ହେବାକୁ ପଡ଼ିବ । କାରଣ ସେ ଯତେବେଳେ ଆଡଭୋକେଟ୍ ଥିଲେ ଏଭଳି ସଙ୍ଗୀନ ମାମଲାକୁ ଠିକ୍ ଭାବେ ପରିଚାଳନା କରିପାରିନଥିବେ ବୋଲି କଲେଜିୟମ କହିଛି । ସ୍କିନ୍ ଟୁ ସ୍କିନ୍ ଟଚ୍କୁ ନେଇ ଗତ ଜାନୁଆରୀ ୧୯ ତାରିଖରେ ଏକ ରାୟ ଦେଇଥିଲେ ବମ୍ବେ ହାଇକୋର୍ଟ । ସେଥିରେ ପୋକ୍ସୋ ଆକ୍ଟରେ ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କୁ ମୁକ୍ତ କରିଦିଆଯାଇଥିଲା ।
ରାୟରେ ବ୍ୟକ୍ତି ଜଣଙ୍କ ନାବାଳିକାଙ୍କ ପୋଷାକ ନ ଖୋଲି କେବଳ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ । ଏହାକୁ ଯୌନ ଶୋଷଣ କୁହାଯାଇ ପାରିବ ନାହିଁ ଏବଂ ପୋକ୍ସୋ ଆକ୍ଟ ପାଇଁ ସ୍କିନ ଟୁ ସ୍କିନ ଟଚ୍ ଜରୁରୀ ବୋଲି ରାୟ ଦେଇଥିଲେ ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲା ।
ପରେ ଏହି ରାୟକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଥିଲେ ଯେ, ଶିଶୁ ଯୌନ ଉତ୍ପୀଡ଼ନ ଅପରାଧ ପାଇଁ କେବଳ ସ୍କିନ ଟୁ ସ୍କିନ୍ ବା ପୀଡ଼ିତା ଓ ଅଭିଯୁକ୍ତ ମଧ୍ୟରେ ସିଧାସଳଖ ଚର୍ମଗତ ସଂପର୍କ ଜରୁରୀ ନୁହେଁ । ଏଠି ଅପରାଧୀର ଉଦ୍ଦେଶ୍ୟ ହିଁ ଗୁରୁତ୍ୱପୂର୍ଣ୍ଣ । ସିଧାସଳଖ ସ୍ପର୍ଶ ନ କରି ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ଯଦି ଶିଶୁର ସମ୍ବେଦନଶୀଳ ଅଙ୍ଗକୁ ପୋଷାକ ଉପରୁ ସ୍ପର୍ଶ କଲେ, ତାକୁ ମଧ୍ୟ ଯୌନ ଉତ୍ପୀଡ଼ନ ବୋଲି ଗ୍ରହଣ କରାଯିବ । ଏପରି ନହେଲେ ପିଲାମାନଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ହୋଇଥିବା ପୋସ୍କୋ ଆକ୍ଟର ଉଦ୍ଦେଶ୍ୟ ସାଧନ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ ।
ଜଷ୍ଟିସ୍ ପୁଷ୍ପା ଏବେ ବମ୍ବେ ହାକୋର୍ଟରେ ଅସ୍ଥାୟୀ ବିଚାରପତି ଭାବେ ଦାୟିତ୍ବ ସମ୍ଭାଳୁଥିବାବେଳେ ଆସନ୍ତା ଫେବୃଆରୀରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ । କେନ୍ଦ୍ର ସରକାର ଗତ ବର୍ଷ ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲାଙ୍କ କାର୍ଯ୍ୟକାଳ ଅବଧିକୁ ବୃଦ୍ଧି କରିଥିଲେ । ହାଇକୋର୍ଟରେ ତାଙ୍କୁ ସ୍ଥାୟୀ ବିଚାରପତି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ପରେ କେନ୍ଦ୍ର ଏହି ନିଷ୍ପତ୍ତି ନେଇଥିଲା । ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲାଙ୍କୁ ବମ୍ବେ ହାଇକୋର୍ଟରେ ସ୍ଥାୟୀ ବିଚାପତି ପାଇଁ କେନ୍ଦ୍ର ପକ୍ଷରୁ ସୁପାରିଶ କରାଯାଇଥିଲା । ହେଲେ ସୁପ୍ରିମକୋର୍ଟର ଏକ ପ୍ୟାନେଲ ଏହି ସୁପାରିଶକୁ ଖାରଜ କରିଦେଇଛନ୍ତି ।