ରାଜ୍ୟରେ ବଢିବ ଶୀତର ପ୍ରକୋପ, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରି

ଆସନ୍ତା ୫ ଦିନ ଧରି ରାଜ୍ୟର ପାଗ ଶୁଖିଲା ରହିବା ସହିତ ବଢିବ ଶୀତର ପ୍ରକୋପ । ଏହି ସମୟରେ ଉତ୍ତର-ପଶ୍ଚିମ ଓ ଉତ୍ତର ଦିଗରୁ ଓଡିଶାକୁ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବିତ ହେବ । ଏହାର ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ଯାଏ ହ୍ରାସ ପାଇବାର ସମ୍ଭାବନା ରହିଛି । ସେହିପରି ୪ରୁ ୫ ଦିନ ପର୍ଯ୍ୟନ୍ତ ରାତିର ସ୍ବାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳେ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଫଳରେ ରାଜ୍ୟରେ ଶୀତ ପ୍ରବାହ ବୃଦ୍ଧି ପାଇବ ।
ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କନ୍ଧମାଳ ସମେତ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ । ଅନୁଗୁଳ, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଅଭ୍ୟନ୍ତରୀଣ ଅଞ୍ଚଳରେ ବି କୁହୁଡ଼ି ପରିମାଣ ଅଧିକ ରହିବ । ଅପରପକ୍ଷେ ଗତ ୨୪ ଘଣ୍ଟାରେ ଫୁଲବାଣୀ, କୋରାପୁଟ, ମାଲକାନଗିରିରେ ଘନ କୁହୁଡ଼ି ଅନୁଭୂତ ହୋଇଛି । ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା ୦.୫ରୁ ୧.୫ ଡିଗ୍ରି ଯାଏ ଖସିଥିବା ବେଳେ ଅଭ୍ୟନ୍ତରୀଣ ଓଡ଼ିଶାରେ ୦.୫ ଡିଗ୍ରିରୁ ଦୁଇ ଡିଗ୍ରି ଯାଏ ତଳକୁ ଖସିଛି । ୮ଟି ସହରର ତାପମାତ୍ରା ୧୩ ଡିଗ୍ରି ତଳେ ରେକର୍ଡ ହୋଇଛି । ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରି ରହିଥିବା ବେଳେ ଫୁଲବାଣୀରେ ୧୦ ଡିଗ୍ରି, କେନ୍ଦୁଝରରେ ୧୧.୨ ଡିଗ୍ରି, ଝାରସୁଗୁଡ଼ାରେ ୧୦.୮ ଡିଗ୍ରି, ଟିଟିଲାଗଡ଼ରେ ୧୧.୩ ଡିଗ୍ରି, ସୁନ୍ଦରଗଡ଼ରେ ୧୨ ଡିଗ୍ରି, ସୋନପୁରରେ ୧୨.୪ ଡିଗ୍ରି ଓ ଭବାନୀପାଟଣାରେ ୧୨.୯ ଡିଗ୍ରି ରେକର୍ଡ ହୋଇଛି ।