ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ ହୋଇପାରନ୍ତି ନୂଆ ସିଡିଏସ୍

ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ପରଲୋକ ହେବା ପରେ ଏବେ ନୂଆ ସିଡିଏସ କିଏ ହେବେ ସେ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଗତ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ସୁରକ୍ଷା କମିଟି ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଛି ଏବଂ ଖୁବ୍ଶୀଘ୍ର ସିଡିଏସ ପଦ ପାଇଁ ନାମ ଘୋଷଣା ହେବ ବୋଲି ଜଣାପଡ଼ିଛି । ବିପିନ ରାୱତଙ୍କ ମୃତ୍ୟୁ ପରେ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ ବରିଷ୍ଠ ସେନା ଅଧିକାରୀ ରହିଛନ୍ତି । ତେଣୁ ତାଙ୍କ ନାମ ନୂଆ ସିଡିଏସ ପଦ ପାଇଁ ଆଗ ଧାଡିରେ ରହିଛି । ଯଦି ଏହି ଆକଳନ ସତ ହୁଏ ତେବେ ସେ ସେନା ଅଧ୍ୟକ୍ଷ ପଦ ଛାଡିବେ ।
ଅପରପକ୍ଷେ ଯଦି ନରୱଣେ ନୂଆ ସିଡିଏସ୍ ହୁଅନ୍ତି ତେବେ, ଦେଶର ସେନ ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ନୂଆ ସେନା ଅଧ୍ୟକ୍ଷ ହେବା ସମ୍ଭାବନା ଅଧିକ । ଏହି ପଦ ଲାଗି ନର୍ଦନ କମାଣ୍ଡର ଲେଫ୍ଟନାଂଟ ଜେନେରାଲ ୱାଇକେ ଯୋଶୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ଉଭୟ ଯୋଶୀ ଏବଂ ମହାନ୍ତି ଗୋଟିଏ ବ୍ୟାଚର ହୋଇଥିଲେ ମଧ୍ୟ ବରିଷ୍ଠତା ଦୃଷ୍ଟିରୁ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ନାମ ଆଗରେ ରହିଛି । ଏଲଓସିରେ ସୈନ୍ୟ ପରିଚାଳନା ଅଭିଜ୍ଞତା ଦୃଷ୍ଟିରୁ ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ସେନାମୁଖ୍ୟ ହେବା ସମ୍ଭାବନା ଅଧିକ ବୋଲି ଚର୍ଚ୍ଚା ହେଉଛି । ତେବେ ଚଣ୍ଡି ପ୍ରସାଦ ଜଗତସିଂହପୁରରେ ଜନ୍ମ ଗ୍ରହଣ କରିଥିବାବେଳେ ଗତ ଫେବୃଆରୀରେ ସେ ସେନା ଉପମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।