ଶେଷ ଯାତ୍ରାରେ ସିଡିଏସ ବିପିନ ରାୱତ

ଅନ୍ତିମ ଯାତ୍ରାରେ ସିଡିଏସ ବିପିନ ରାୱତ । ଦିଲ୍ଲୀ ସ୍ଥିତ ବରାର ସ୍କୋୟାରରେ ହେବ ଦେଶର ପ୍ରଥମ ସିଡିଏସଙ୍କ ଅନ୍ତିମ ସଂସ୍କାର । ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ସିଡିଏସ ଏବଂ ତାଙ୍କ ପତ୍ନୀଙ୍କର ଶବ ସଂସ୍କାର କରାଯିବ । ପ୍ରୋଟକଲ୍ ଅନୁସାରେ, ଜେନେରାଲ୍ ରାୱତ୍ଙ୍କୁ ୧୭ ତୋପ ସଲାମୀ ଦିଆଯିବ । ୮୦୦ ସେନା କର୍ମଚାରୀ ଶବ ସଂସ୍କାରରେ ଯୋଗ ଦେବେ । ତାଙ୍କ ପରିବାର ଲୋକେ ଚିତାରେ ଅଗ୍ନି ସଂଯୋଗ କରିବେ । ତାଙ୍କର ଶବ ସଂସ୍କାର ବ୍ୟବସ୍ଥା କରୁଛନ୍ତି ୫/୧୧ ଗୋର୍ଖା ରାଇଫଲ୍ । ପ୍ରଥମେ ଜେନେରାଲ ରାୱତ ଏହି ୟୁନିଟରେ ସାମିଲ ହୋଇଥିଲେ ।
ଆଜି ସକାଳୁ ଅନେକ ବିଶିଷ୍ଟ ବ୍ୟକ୍ତି କାମରାଜସ୍ଥିତ ରାୱତଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ବିଜେପିର ଜାତୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି ଏବଂ ଉତ୍ତରଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଜେନେରାଲ୍ ରାୱତ୍ ଏବଂ ମଧୁଲିକାଙ୍କର ଦୁଇ କନ୍ୟା କୃତ୍ତିକା ଏବଂ ତାରିଣୀ ମଧ୍ୟ ପିତାମାତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଛନ୍ତି ।
ବୁଧବାର ତାମିଲନାଡୁରେ ସେନା ହେଲିକପ୍ଟର୍ ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାୱତ୍ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ଜଣଙ୍କ ପରଲୋକ ହୋଇଛି । ଅପରପକ୍ଷେ ଏ ନେଇ କୌଣସି କଳ୍ପନାଜଳ୍ପନା ନ କରିବା ଲାଗି ଭାରତୀୟ ବାୟୁସେନା ନିବେଦନ କରିଛି ।