ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସକୁ ଲାଗିଛି ବଡ ଝଟକା

ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଣି ପୋଲିସକୁ ଲାଗିଛି ବଡ ଝଟକା । ପଳରେ ଏବେ ଅଡୁଆରେ ମାହାଙ୍ଗା ଥାନା ଆଇଆଇସି ନିହାର ମହାନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ JMFC କୋର୍ଟ ମାହାଙ୍ଗା ପୋଲିସକୁ ଅପଟୁଡେଟ କେଶ ଡାଏରୀ ଓ CDR ସଂରକ୍ଷଣ କରି ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାହାଙ୍ଗା ଥାନା ଅଧିକାରୀଙ୍କ JMFC ପକ୍ଷରୁ ଦାୟର ନିର୍ଦ୍ଦେଶର ପୁନଃ ବିଚାର ଆବେଦନକୁ ସାଲେପୁର ADJ କୋର୍ଟ ଖରାଜ କରିଛନ୍ତି । ତଳକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ପୁନଃ ତଦନ୍ତ ଓ ସିଡିଆର ଦାଖଲ ନିର୍ଦ୍ଦେଶର ରିଭିଜନ ଚାହିଁଥିଲା ମାହାଙ୍ଗା ପୋଲିସ । ତେବେ ଏହି ଆବେଦନ ଗ୍ରହଣୀୟ ନୁହେଁ କହି ପିଟିସନ ଖାରଜ କରି ଦେଇଛନ୍ତି ସାଲେପୁର ଏଡିଜେ ।
ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରୋଟେଷ୍ଟ ପିଟିସନ ବଳରେ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC । ଏହି ହତ୍ୟାକାଣ୍ଡରେ ୧୩ ନମ୍ବର ମୁଦାଲା ଥିବା ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ତଦନ୍ତ ପରିସରକୁ ଆଣି ସାନି ଚାର୍ଜସିଟ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ତଳ କୋର୍ଟ । ଏହା ସହ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତଥା ପିଏ ବାପି ବିଶ୍ୱାଳ, ମୃତ ପ୍ରଫୁଲ୍ଲ ବିଶ୍ୱାଳ ଓ ସ୍ଥାନୀୟ ବ୍ଲକ ଚେୟାରମ୍ୟାନ ଶରତ ନାୟକଙ୍କ ୩ ମାସର ସିଡିଆର ରିପୋର୍ଟ ମାଗିଥିଲେ କୋର୍ଟ ।
କୋର୍ଟଙ୍କ ଏହି ନିର୍ଦ୍ଦେଶନାମା ବିରୋଧରେ ମାହାଙ୍ଗା ଥାନା ଆଇଆଇସି ସାଲେପୁର ଏଡିଜେଙ୍କ ଦ୍ୱାରସ୍ଥ ହୋଇ ରିଭିଜନ ପିଟିସନ ଫାଇଲ କରିଥିଲେ । ହେଲେ ଏହି ପିଟିସନକୁ ଖାରଜ କରି ଦେଇଛନ୍ତି ଏଡିଜେ । ଫଳରେ ମାହାଙ୍ଗା ପୋଲିସ ଉପରେ କୋର୍ଟର ବଡ ପ୍ରହାର ବସିଥିବା ସୂଚନା ଦେଇଛନ୍ତି ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ।