ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି, ହସ୍ପିଟାଲରେ ସିଡିଏସ୍ ବିପିନ ରାୱତ

ତାମିଲନାଡୁର କନ୍ନୁର ଠାରେ ହୋଇଥିବା ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ବାୟୁସେନାର ଏହି ଏମଆଇ ସିରିଜ୍ ହେଲିକପ୍ଟରରେ ତିନି ସେନାର ମୁଖ୍ୟ ତଥା ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ୧୪ ଜଣଙ୍କୁ ନେଇ ହେଲିକପ୍ଟର୍ଟି ୱେଲିଂଟନ୍ ଏୟାରବେସ୍କୁ ଯାଉଥିଲା । ତେବେ ଏହା କୋଏମ୍ବାଟୁର ଓ ସୁଲୁର ମଧ୍ୟରେ କ୍ରାଶ ହୋଇଛି । ଘଟଣାସ୍ଥଳରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାୟୁସେନାର ସ୍ୱତନ୍ତ୍ର ଟିମ ଓ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଅଛନ୍ତି ।
ସିଡିଏସ୍ ବିପିନ ରାୱତ ଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ତାଙ୍କ ପତ୍ନୀ ମଧୁଲିକା ରାୱତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କନ୍ନୁରରୁ ୭ କିମି ଦୂର କାଟ୍ଟେରୀ ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳରେ ହେଲିକପ୍ଟରଟି ଖସି ପଡ଼ିଥିଲା । ଖରାପ ପାଗ ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ଭାରତୀୟ ବାୟୁ ସେନା ପକ୍ଷରୁ ଟ୍ୱିଟ୍ କରି କହିଛି ଯେ IAF Mi-17V5 ହେଲିକପ୍ଟରରେ ସିଡିଏସ ବିପିନ୍ ରାୱତଙ୍କ ସହ ପରିବାର ସଦସ୍ୟ ଯାତ୍ରା କରୁଥିଲେ । ଏହା କନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାର ତଦନ୍ତ ନିର୍ଦ୍ଦଶ ଦିଆଯାଇଛି । ଉକ୍ତ ହେଲିକପ୍ଟରରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ, ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲଏସ ଲିଡର, ଲେଫଟ୍ନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ, ନାଏକ ଗୁରସେୱ ସିଂ, ନାଏକ ଜିତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର, ଲାନ୍ସ ନାଏକ ବି ସାଇ ତେଜା, ହାବିଲଦାର ସତପାଲ୍ ଯାତ୍ରା କରୁଥିଲେ ।