ବାୟୁସେନା ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ସଙ୍କଟରେ ସିଡିଏସ୍ ଜେନେରାଲ

ବାୟୁସେନାର ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି । ହେଲିକପ୍ଟରରେ ସିଡିଏସ୍ ଜେନେରାଲ ବିପନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ରହିଥିବା ସୂଚନା । ତେବେ ସିଡିଏସଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସେନା କିମ୍ବା ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ବିସ୍ତୃତି ମିଳିପାରି ନାହିଁ । ଆସନ୍ତାକାଲି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତଥ୍ୟ ଉପସ୍ଥାପନ କରିବେ । ଆଜି ସନ୍ଧ୍ୟା ୬.୩୦ରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ ବସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଅଧ୍ୟକ୍ଷତା କରିବେ ।
ବାୟୁସେନା ମଧ୍ୟ କେବଳ ସିଡିଏସ୍ଙ୍କୁ ନେଇ ଯାଉଥିବା IAF Mi-17V5 ହେଲିକପ୍ଟର କ୍ରାଶ ହୋଇଯାଇଥିବା କହିଛି । ଦୁର୍ଘଟଣାର ତଦନ୍ତ ପାଇଁ ମଧ୍ୟ ବାୟୁସେନା ନିର୍ଦ୍ଦେଶ ଦେଇଛି । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ବାୟୁସେନା ମୁଖ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ମଧ୍ୟ କନ୍ନୁର ଯିବାର କାର୍ଯ୍ୟକ୍ରମ ରହିଛି ।
ଆଜି ସିଡିଏସ୍ ଜେନେରାଲ ପରିବାର ଓ ଅଧିକାରୀମାନଙ୍କ ସହ ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଯାଇଥିଲେ । ସେଠାରୁ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏହା କନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉକ୍ତ ହେଲିକପ୍ଟରରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ, ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲଏସ ଲିଡର, ଲେଫଟ୍ନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ, ନାଏକ ଗୁରସେୱ ସିଂ, ନାଏକ ଜିତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର, ଲାନ୍ସ ନାଏକ ବି ସାଇ ତେଜା, ହାବିଲଦାର ସତପାଲ୍ ଯାତ୍ରା କରୁଥିଲେ । ହେଲିକପ୍ଟରଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏକାଧିକ ବଡ଼ବଡ଼ ଗଛ ଭାଙ୍ଗି ଯାଇଛି । ସେହିପରି ପ୍ରଥମେ ୪ ଜଣଙ୍କ ମୃତଦେହ ମିଳିଥିଲା । ଏହାପରେ ସଂଖ୍ୟା ୧୧ରେ ଏବଂ ଏବେ ଏହା ୧୩ରେ ପହଞ୍ଚିଛି ।
ଦେଶର ପ୍ରଥମ ସିଡିସିଏସ୍ ଭାବେ ୬୩ ବର୍ଷୀୟ ଜେନେରାଲ ରାୱତ ୨୦୧୯ ଜାନୁଆରୀ ମାସରେ ଦାୟିତ୍ୱ ନେଇଥିଲେ । ଏଥିସହ ତାଙ୍କୁ ନୂଆ କରି ତିଆରି ହୋଇଥିବା ମିଲିଟାରୀ ବ୍ୟାପର ବିଭାଗର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ଦିଆଯାଇଛି ।