ଟ୍ୱିନ୍ ସିଟିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

‘ଜୱାଦ’ ପ୍ରଭାବରେ ଭୁବନେଶ୍ୱର ଓ କଟକର କିଛି ସ୍ଥାନରେ ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଟ୍ୱିନ୍ ସିଟିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ଓ କଟକରେ କିଛି ସ୍ଥାନରେ ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।
ବାତ୍ୟା ଜୱାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ୱର ଆଦି ଜିଲ୍ଲାଗୁଡ଼ିକରେ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ପୁରୀ ଓ ଖୋର୍ଦ୍ଧା ଆଦି ୭ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ବାତ୍ୟା ପ୍ରଭାବରେ ପୁରୀ, ଖୋର୍ଦ୍ଧା ଓ ଭଦ୍ରକ ଅଞ୍ଚଳରେ ୮୦ରୁ ୯୦ ମିମି ବର୍ଷା ହେବା ସହ ବାଲେଶ୍ୱର, ମୟୂରଭଞ୍ଜରେ ୬୦-୭୦ ମିମି ବର୍ଷା ହେବା ନେଇ ଅନୁମାନ କରାଯାଉଛି । ତେବେ ଚଳିତ ମାସ ତୃତୀୟ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଦକ୍ଷିଣ ଉପକୂଳରେ ପହଞ୍ଚିବା ପୂର୍ବରୁ ଦୁର୍ବଳ ହେବାର ସମ୍ଭାବନା ରହିଛି ।