ରାଜ୍ୟକୁ ଓମିକ୍ରନ୍ ଭୟ, ସତର୍କ ରହିବାକୁ କହିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ… ଓଡ଼ିଶା ସମେତ ୬ ରାଜ୍ୟକୁ ଆଲର୍ଟ

ଦେଶରେ ଏବେ କରୋନା ଭୂତାଣୁର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ଜିମ୍ବାୱେରୁ ଫେରିବା ପରେ ଗୁଜୁରାଟର ଜାମନଗର ସହରରେ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି ଜଣେ ୭୨ ବର୍ଷ ବୟସ୍କ ବ୍ୟକ୍ତି । ଗୁରୁବାର ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ହେବା ପରେ ବୃଦ୍ଧଙ୍କ ନମୁନାକୁ ଜେନୋମ କ୍ରମ ପାଇଁ ପଠାଯାଇଥିଲା । ଗୁଜୁରାଟର ସ୍ୱାସ୍ଥ୍ୟ କମିଶନର ଜୟ ପ୍ରକାଶ ଶିଭରେ ନିଶ୍ଚିତ କରିଛନ୍ତି ଯେ, ଏହି ବ୍ୟକ୍ତି ଜଣକ ଓମିକ୍ରନ୍ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି । ଏହା ପୂର୍ବରୁ, କର୍ଣ୍ଣାଟକର ଦୁଇଜଣ ବ୍ୟକ୍ତି ଓମିକ୍ରନ୍ ପଜିଟିଭ୍ ହୋଇଥିବା ସୂଚନା ମିଳିଛି ।
ପରିସ୍ଥିତି ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ନଜର ରଖିଛି । କରୋନା ସଂକ୍ରମଣ ଏବଂ ଓମିକ୍ରନ୍ ବିପଦକୁ ନଜରରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓଡ଼ିଶା ସମେତ ୬ ରାଜ୍ୟକୁ ଆଲର୍ଟ କରିଛି । ଏହା ସହ ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ଜାହିର କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । କୋଭିଡ୍ ଗାଇଡଲାଇନ୍ ପାଳନ ନ କଲେ ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ମଧ୍ୟ ମନ୍ତ୍ରାଳୟ ଚେତାବନୀ ଦେଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଯେଉଁ ୬ ରାଜ୍ୟକୁ ଚିଠି ଲେଖିଯାଇଛି ସେଗୁଡ଼ିକ ହେଉଛି- ଓଡ଼ିଶା, କେରଳ, ଜାମ୍ମୁକାଶ୍ମୀର, ତାମିଲନାଡୁ, କର୍ଣ୍ଣାଟକ ଏବଂ ମିଜୋରାମ । ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି, ପଜିଟିଭ୍ ରେଟ୍ ଏବଂ ମୃତ୍ୟୁ ହାର ବୃଦ୍ଧିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ବ୍ୟକ୍ତ କରିଛି । କୋଭିଡ ଅନୁରୂପ ବ୍ୟବହାର ଉପରେ ସରକାର ଦୃଷ୍ଟି ଦେବାକୁ କୁହାଯିବା ସହ କେରଳରେ ବଢ଼ୁଥିବା ମୃତ୍ୟୁ ହାର ଉପରେ ମନ୍ତ୍ରାଳୟ ଚିନ୍ତା ଜାହିର କରିଛି ।